କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ କେଦାର ଯାଦବ

କେଦାର ଯାଦବ ୭୩ ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଥିଲେ।

ସୋସିଆଲ ମିଡ଼ିଆ ପୋଷ୍ଟ ଦେଖି ଫ୍ୟାନ୍ସ ନିରାଶ

ମୁମ୍ବାଇ, ୦୩/୦୬: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଅଲରାଉଣ୍ଡର କେଦାର ଯାଦବ। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କେଦାର ଯାଦବ ଅବସର ଘୋଷଣା କରିଛନ୍ତି।

କେଦାର ଯାଦବ ୨୦୧୪ରୁ ୨୦୨୦ ମଧ୍ୟରେ ଭାରତ ପକ୍ଷରୁ ୭୩ ଦିନିକିଆ ଓ ଧୋନିଙ୍କ ନେତୃତ୍ବରେ ୯ଟି ଟି-୨୦ ମ୍ୟାଚ୍ ଖେଳିଥିଲେ। ୨୦୧୯ ବିଶ୍ୱକପ୍ ଖେଳିଥିଲେ ଏବଂ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ। କେଦାର ୭୩ଟି ଦିନିକିଆରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୧୩୮୯ ରନ୍ କରିଥିବା ବେଳେ ୯ଟି ଟି-୨୦ରେ ୧୨୨ ରନ୍ କରିଥିଲେ। କେଦାର ଫାଷ୍ଟ କ୍ଲାସ କ୍ରିକେଟରେ ୧୭ ଶତକ, ୨୩ ଅର୍ଦ୍ଧଶତକ ସହ ୬୧୦୦ ରନ୍ କରିଛନ୍ତି। ଲିଷ୍ଟ-ଏ କ୍ରିକେଟରେ ୧୦ ଶତକ ସହ ୫୫୨୦ ରନ୍ କରିଛନ୍ତି। କେଦାର ୯୩ଟି ଆଇପିଏଲ୍ ମ୍ୟାଚ୍ ଖେଳି ୧୧୯୬ ରନ୍ କରିଛନ୍ତି। ୨୦୧୮ରେ ଆଇପିଏଲ୍ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସେ ସଦସ୍ୟ ଥିଲେ। ୨୦୧୦ରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ), ୨୦୧୧ରେ କୋଚି ଟସ୍କର୍ସ କେରଳ ପାଇଁ ଖେଳିଥିଲେ। ସେ ୨୦୧୩ରୁ ୨୦୧୫ ଯାଏ ପୁଣି ଦିଲ୍ଲୀ ପାଇଁ ଖେଳିଥିଲେ। କେଦାର ଶେଷ ଥର ପାଇଁ ଆଇପିଏଲ୍ ୨୦୨୩ରେ ଆରସିବି ପକ୍ଷରୁ ଖେଳିଥିଲେ।

ଆଜି ଅପରାହ୍ନ ୩ଟାରେ ଅବସର ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି କେଦାର। ଯାହାକୁ ଦେଖି ପ୍ରଶଂସକମାନେ ଚକିତ ହୋଇ ଯାଇଛନ୍ତି। ସେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି।