ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୋଟ ଗଣତି ପୂର୍ବରୁ ଭଙ୍ଗ ହେଲା ବିଧାନସଭା

ଭୁବନେଶ୍ବର, ୦୩/୦୬: ରାଜ୍ୟ କ୍ୟାବିନେଟର ସୁପାରିସ କ୍ରମେ ରାଜ୍ୟପାଳ ରଘୁବର ଦାସ ସୋମବାର ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଓଡ଼ିଶା କ୍ୟାବିନେଟର ଶେଷ ବୈଠକ ପରେ ସରକାର ଷୋଡ଼ଶ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିଥିଲେ। ମଙ୍ଗଳବାର ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାରୁ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିବା କ୍ୟାବିନେଟ୍ ବୈଠକର ମୁଖ୍ୟ ଏଜେଣ୍ଡା ଥିଲା। ବିଜେଡି ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା।