ବଡ ଧରଣର ରେଳ ଅଘଟଣ

ଦକ୍ଷିଣ-ପୂର୍ବ ଦିଲ୍ଲୀର ସରିତା ବିହାରରେ ତାଜ୍ ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଯାଇଛି।

ତାଜ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୦୩/୦୬: ବର୍ଷକ ତଳେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଏକ ରେଳ ଦୁର୍ଘଟଣା ଘଟିଛି। ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ-ଓଖଲା ମଝିରେ ସରିତା ବିହାରରେ ତାଜ୍ ଏକ୍ସପ୍ରେସ୍ ଟ୍ରେନରେ ୩ଟି ବଗିରେ ନିଆଁ ଲାଗିଯାଇଛି। ତେବେ ଆଶ୍ୱସ୍ତିକର ବିଷୟ ହେଉଛି ଯେ, ଯାତ୍ରୀମାନେ ସମୟ ପୂର୍ବରୁ ନିଆଁ ଲାଗିଥିବା ବଗିରୁ ବାହାରିବାରେ ସକ୍ଷମ ହୋଇଥିବାରୁ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ।

କିନ୍ତୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତାଜ୍ ଏକ୍ସପ୍ରେସ୍ ଟ୍ରେନର ୩ଟି ବଗିରେ ନିଆଁ ଲାଗିଥିବା ଅପରାହ୍ନ ୪ଟା ୪୦ରେ ଜଣାପଡ଼ିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୬ଟି ଟିମ୍ ପହଞ୍ଚି ସନ୍ଧ୍ୟା ୫ଟା ୪୩ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ଡି-୩ ଓ ଡି-୪ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡି-୨ ବଗି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଯାତ୍ରୀମାନେ ତୁରନ୍ତ ଅନ୍ୟ ବଗିକୁ ଯାଇ ଟ୍ରେନରୁ ଓହ୍ଲାଇଥିବାରୁ ଏହି ଘଟଣାରେ କେହି ଆହତ ହୋଇନଥିଲେ। ରେଳବାଇ ପକ୍ଷରୁ ଏହି ଏକ୍ସପ୍ରେସରେ କିପରି ନିଆଁ ଲାଗିଲା ତାକୁ ନେଇ ତଦନ୍ତ କରାଯିବ।