ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ; ୨୪ ସିଂହାସନରେ ବସିବେ କିଏ

ଓଡ଼ିଶାରେ ସକାଳ ୮ଟାରୁ ଭୋଟ ଗଣତି କେନ୍ଦ୍ରରେ ହୋଇଛି ମତଗଣନା।

ପ୍ରଥମେ ପୋଷ୍ଟାଲ ବାଲାଟ, ତାପରେ ଇଭିଏମ୍ ଗଣତି

ଭୁବନେଶ୍ବର, ୦୪/୦୬: ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। କିଏ ବସିବେ ସିଂହାସନରେ, ଆଉ କିଏ ଅପେକ୍ଷା କରିବେ ୫ ବର୍ଷ ଯାଏ ପୁଣି ନିର୍ବାଚନ ଲଢିବା ପାଇଁ। ନେତାଙ୍କ ଭିତରେ ପଶିଛି ଛନକା। ୨୦୨୪ ନିର୍ବାଚନରେ ବଦଳୁଥିବା ସମୀକରଣ ଦେଖି ବାଜି କେତେବେଳେ ବି ପଲଟି ଯାଇପାରେ। ଏଥର ଜନତାଙ୍କ ମୁଡ୍ ଉପରେ ନିର୍ଭର କରୁଛି ଭୋଟିଂ। ଏଥର ଗଡ ବି ଭାଙ୍ଗି ଯିବାର ସମ୍ଭାବନା ରହିଛି। ତେଣୁ ନେତାଙ୍କ ଛାତି ଧଡ଼ ଧଡ଼। ଗଣତି ପୂର୍ବରୁ ନିଜ ନିଜର ଜିତ୍ ଘୋଷଣା କରୁଥିଲେ ଦଳ। କିନ୍ତୁ କାହା ସପକ୍ଷରେ ଯିବ ଜନତାଙ୍କ ରାୟ, କାହା ମୁଣ୍ଡରେ ସୁନା କଳସୀ ଢାଳିଥିବେ ଜନତା, ତାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଆଜି ସବୁ ଅନ୍ତ ଘଟିବ।

ଆଜି ଆସିବ ଆସିବ ୨୦୨୪ ନିର୍ବାଚନ ଫଳାଫଳ। ଅଷ୍ଟାଦଶ ଲୋକସଭା ସମେତ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଯଦି ଓଡ଼ିଶାରେ ବିଜେଡ଼ିକୁ ସର୍ବାଧିକ ଭୋଟିଂ ଯାଇଥାଏ, ତାହାଲେ ପୁଣି ମୁଖ୍ୟମନ୍ତ୍ରୀ ପଦରେ ବସିବେ ନବୀନ ପଟ୍ଟନାୟକ। ଇତିହାସ ରଚିବ ଓଡ଼ିଶା। ନବୀନ ହେବେ ୬.୦ ମୁଖ୍ୟମନ୍ତ୍ରୀ। କିନ୍ତୁ ଏଥର ବିଜେପିକୁ ମଧ୍ୟ ବହୁମତ ଯାଇଛି। ମୋଦି ମାନିଆ ଏଥର ରାଜ୍ୟ ସାରା ଖେଳିଯାଇଛି। ମୋଦିଙ୍କ ବାରମ୍ବାର ରାଜ୍ୟ ଗସ୍ତ ଯୁବ ଭୋଟରଙ୍କ ଉପରେ ପ୍ରଭାବ ପକାଇଥିବ ବୋଲି ଆଶା କରାଯାଇଛି। ଯଦି ବିଜେପିକୁ ସର୍ବାଧିକ ଭୋଟିଂ ଯାଇଥାଏ, ତାହାଲେ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ, ତାହା ଏଯାଏଁ ଘୋଷଣା କରାଯାଇନାହିଁ। ଆଉ କିଛି ଘଣ୍ଟା ପରେ ଜଣାପଡ଼ିବ, ରାଜ୍ୟରେ ନବୀନ କ୍ରେଜ୍ କମିଛି ନା ମୋଦି ମାନିଆ ବଢିଛି।

ରାଜ୍ୟରେ ମତ ଗଣନା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାରେ ସକାଳ ୮ଟାରୁ ଭୋଟ ଗଣତି କେନ୍ଦ୍ରରେ ହୋଇଛି ମତଗଣନା। ପ୍ରଥମ ଅଧଘଣ୍ଟା ପୋଷ୍ଟାଲ ବାଲାଟ ଗଣତି ହେବ। ତା’ପରେ ଗଣତି ହେବ ଇଭିଏମ୍ ଭୋଟିଂ। ରାଜ୍ୟର ୭୦ଟି କେନ୍ଦ୍ରରେ ଅଢେଇ କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କ ମତ ପ୍ରକାଶ ଗଣନା ହେବ। ୨୦୧୯ରେ ୭୩.୦୯% ଭୋଟିଂ ହୋଇଥିବା ବେଳେ ୨୦୨୪ରେ ବଢି ୭୪.୪୪% ପ୍ରତିଶତ ହୋଇଛି। ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଥିବା ବେଳେ ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଫୋନ୍ ବାରଣ କରାଯାଇଛି।

ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ସାତୋଟି ପର୍ଯ୍ୟାୟରେ ହୋଇଥିବା ସମସ୍ତ ଭୋଟିଂର ଫଳାଫଳ ଜୁନ ୪ରେ ଘୋଷଣା ହେବ। ଭୋଟ ଗଣତିର ସମ୍ପର୍ଣ୍ଣ ସୂଚନା ଓ ଫଳାଫଳ ନିର୍ବାଚନ କମିଶନ ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ।