ରାଜ୍ୟରେ ପୂର୍ବଧାରା ବା ପରିବର୍ତ୍ତନ

ବିଜେପିକୁ ମିଳୁଛି ସଫଳତା। ଲୋକସଭା ଓ ବିଧାନସଭା ଆସନରେ ଆଗୁଆ ଅଛି ବିଜେପି।

ଛକିଶୂନରେ ଦଳ; ବାଜି ପଲଟିବା ଆଶଙ୍କା

ଭୁବନେଶ୍ବର, ୦୪/୦୬: ପରିବର୍ତ୍ତନର ସ୍ୱର ଶୁଭିବ କି ଓଡ଼ିଶାରେ। କିଏ ଗଢିବ ସରକାର। ଛକିଶୂନରେ ଦଳ। ବାଜି କେତେବେଳେ ବି ପଲଟି ଯାଇପାରେ। ରାଜ୍ୟରେ ପୂର୍ବଧାରା ଜାରି ରହିବ ନା ପରିବର୍ତ୍ତନ ହେବ। ଓଡ଼ିଶାରେ ପରିବର୍ତ୍ତନର ନାରା ଲଗାଇଥିବା ବିଜେପିକୁ ମିଳୁଛି ସଫଳତା। ବିଜେପି ୭୨ ଆସନ, ବିଜେଡି ୫୮ ଆସନ ଓ କଂଗ୍ରେସ ୧୩ଟି ଆସନରେ ଆଗୁଆ ଅଛି।

ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ସଫଳତା ମିଳିଛି।ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୬ଟି ଆସନରେ ଆଗୁଆ ଥିବା ବେଳେ ଶାସକ ବିଜୁ ଜନତା ଦଳ ୪ଟି ଆସନ ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ବାଜିମାତ କରି ସାରିଛି ବିଜେପି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜେଡି ପ୍ରାର୍ଥୀନୀ ଦୀପାଳୀ ଦାସଙ୍କଠାରୁ ୧୩୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ବିଜେପିର ହେଭି-ୱେଟ ସବୁ ଆସନରେ ଆଗୁଆ ଅଛନ୍ତି। ସମ୍ବଲପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭୁବନେଶ୍ୱରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ବହୁ ବିଜେପି ହେଭିୱେଟ୍ ଆଗୁଆ ରହିଛନ୍ତି।

ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଥିବା ବେଳେ ବିଜେଡିର ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ନିଜ ନିଜ ଆସନରେ ବିଜେପି ପ୍ରାର୍ଥୀଙ୍କଠାରୁ ପଛରେ ରହିଛନ୍ତି।