ଜୋମାଟୋ ଫୁଡ୍ ଫଟୋଗ୍ରାଫିରେ ବ୍ୟବହାର ହେବନି ଏଆଇ

ଚଳିତ ମାସ ଶେଷ ସୁଦ୍ଧା ମେନୁରୁ ହଟିବ ଏଆଇ ଫଟୋ

ନୂଆଦିଲ୍ଲୀ, ୧୮/୮: ଅନଲାଇନ ଫୁଡ ଡେଲିଭରୀ ଆପ୍ ଜୋମାଟୋରୁ ହଟିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ ଫଟୋ। ଅନଲାଇନ ଆପରେ ବ୍ୟଞ୍ଜନର ଫଟୋକୁ ଦେଖି ମୁଖ୍ୟତଃ ଖାଦ୍ୟକୁ ଅର୍ଡର କରାଯାଇଥାଏ। ହେଲେ, ଜୋମାଟୋରେ ଖାଦ୍ୟରେ ଦୃଷ୍ଟି ଆକର୍ଷଣକୁ ଆହୁରି ବଢାଇବା ପ୍ରକୃତ ଫଟୋ ପୋଷ୍ଟ ନ କରାଯାଇ ଏଆଇ ଜେନେରେଟେଡ ଫଟୋ ଅପଲୋଡ କରାଯାଉଥିଲା। ଯାହାଦ୍ବାରା ଖାଦ୍ୟଟି ମନଲୋଭା ଲାଗିବା ସହ ଆକର୍ଷଣୀୟ ଦେଖା ଯାଇଥାଏ। କିନ୍ତୁ ଏହାକୁ ନାପସନ୍ଦ କରିଥିଲେ ଗ୍ରାହକ। ଯାହାକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏଭଳି ଅଭିଯୋଗ ପରେ ଏହି ଏଆଇ ଦ୍ବାରା ନିର୍ମିତ ଫଟୋକୁ ହଟାଇ ଖାଦ୍ୟର ପ୍ରକୃତ ଫଟୋକୁ ଅପଲୋଡ କରିବା ପାଇଁ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ଘୋଷଣା କରିଛନ୍ତି।

ଏଭଳି ବିଭ୍ରାନ୍ତିକର ଫଟୋକୁ ନେଇ ତାଙ୍କ ନିକଟକୁ ବହୁ ଅଭିଯୋଗ ଆସିଛି ବୋଲି କହିଛନ୍ତି ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ। ଏହା ଦ୍ବାରା ଗ୍ରାହକ ଓ ରେଷ୍ଟୁରାଣ୍ଟ ମଧ୍ୟରେ ଥିବା ବିଶ୍ୱାସ ଭଙ୍ଗ ହେବା ସହ ରିଫଣ୍ଡ ବୃଦ୍ଧି ପାଉଛି ଏବଂ ଗ୍ରାହକମାନଙ୍କ ପକ୍ଷରୁ କମ୍ ରେଟିଂ ମିଳୁଛି। ଚଳିତ ମାସ ଶେଷ ସୁଦ୍ଧା ମେନୁରୁ ଏଭଳି ଫଟୋଗୁଡିକୁ ସକ୍ରିୟ ଭାବରେ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯିବ। ନିଜ ରେଷ୍ଟୁରାଣ୍ଟରେ ଉପଲବ୍ଧ ଥିବା ବ୍ୟଞ୍ଜନର ପ୍ରକୃତ ଫଟୋର ବ୍ୟବହାର କରିବାକୁ ଅନୁରୋଧ କରିବା ସହିତ ସେ ଉଭୟ ରେଷ୍ଟୁରାଣ୍ଟ ମାଲିକ ଏବଂ ଇନ୍-ହାଉସ୍ ମାର୍କେଟିଂ ଟିମକୁ ମାର୍କେଟିଂ ଉଦ୍ଦେଶ୍ୟରେ ଏଆଇ-ଜେନେରେଟେଡ୍ ଫଟୋ ବ୍ୟବହାର ବନ୍ଦ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।