ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ଦିନିଆ ବିଦେଶ ଗସ୍ତ

ଆସନ୍ତାକାଲି ସିଙ୍ଗାପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବ୍ରୁନେଇର ପ୍ରସିଦ୍ଧ ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ୍ ପରିଦର୍ଶନ କଲେ ମୋଦି

ନୂଆଦିଲ୍ଲୀ, ୦୩/୦୯: ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଥମେ ବ୍ରୁନେଇରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରୁନେଇ ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରୁନେଇ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଅପରାହ୍ନରେ ବନ୍ଦର ସେରି ବେଗୱାନ ବିମାନ ବନ୍ଦରରେ ପହଞ୍ଚିଥିଲେ। ଭାରତ ଓ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୪୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ।

ବ୍ରୁନେଇ ଗସ୍ତରେ ଥିବା ବେଳେ ଦେଶରେ ଭାରତର ହାଇ କମିଶନର ନୂତନ ଚାନ୍ସେରୀକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ସହ ଦେଶର ପ୍ରସିଦ୍ଧ ଓମାର ଅଲ୍ଲୀ ସୈଫୁଦ୍ଦିନ ମସଜିଦ୍ ପରିଦର୍ଶନ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ମୋଦିଙ୍କ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ, ଯାହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି।

ବ୍ରୁନେଇରେ କାର୍ଯ୍ୟକ୍ରମ ସାରି ଆସନ୍ତାକାଲି ସିଙ୍ଗାପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟିବେ ଓ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିବେ। ତିନି ଦିନିଆ ବିଦେଶ ଗସ୍ତ ସାରି ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବିଦେଶ ଗସ୍ତରେ ଅଛନ୍ତି।