ଏୟାର ଇଣ୍ଡିଆକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ

କାନାଡା ଓ ଆମେରିକାରେ ନାଗରିକତା ରଖିଥିବା ଗୁରପତୱନ୍ତ ସିଂ ପନ୍ନୁ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ)ର ପ୍ରତିଷ୍ଠାତା।

ନଭେମ୍ବର ୧-୧୯ ଯାଏଁ ବିମାନ ଉଡାଣ ନ କରିବାକୁ ଚେତାବନୀ

ନୂଆଦିଲ୍ଲୀ, ୨୧/୧୦: ଲଗାତାର କିଛି ଦିନ ଧରି ଭାରତୀୟ ବିମାନରେ ସମ୍ଭାବ୍ୟ ବୋମା ବିସ୍ଫୋରଣ ସଂକ୍ରାନ୍ତରେ ଧମକ ମିଳୁଥିବା ବେଳେ ଆଜି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏୟାର ଇଣ୍ଡିଆକୁ ଧମକ ଦେଇଛି। ନଭେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ପନ୍ନୁ ଯାତ୍ରୀମାନଙ୍କୁ ଚେତାବନୀ ଦେଇଛି। ଶିଖ୍ ଗଣହତ୍ୟାର ୪୦ ବର୍ଷ ପୂର୍ତ୍ତି ଅବସରରେ ନିର୍ଦ୍ଦିଷ୍ଟ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଆକ୍ରମଣ ହୋଇପାରେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛି।

ଗତବର୍ଷ ମଧ୍ୟ ସମାନ ସମୟରେ ସେ ସମାନ ଧମକ ଦେଇଥିଲା। ନଭେମ୍ବର ୨୦୨୩ରେ ପନ୍ନୁ ଏକ ଭିଡିଓ ଜାରି କରି ଦାବି କରିଥିଲା ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯିବ ଏବଂ ନଭେମ୍ବର ୧୯ରେ ବିମାନବନ୍ଦର ବନ୍ଦ ରହିବ। ଏହା ସହ ସେଦିନ ଏୟାର ଇଣ୍ଡିଆରେ ଉଡ଼ାଣ ନ କରିବାକୁ ଲୋକଙ୍କୁ ଚେତାବନୀ ଦେଇଥିଲା। ଏହା ବ୍ୟତୀତ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କୁ ହତ୍ୟା ଧମକ ଦେଇଥିଲା।

କାନାଡା ଓ ଆମେରିକାରେ ନାଗରିକତା ରଖିଥିବା ଗୁରପତୱନ୍ତ ସିଂ ପନ୍ନୁ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ)ର ପ୍ରତିଷ୍ଠାତା। ପୃଥକ ଶିଖ୍ ରାଷ୍ଟ୍ର ଗଠନ ପାଇଁ ଦାବି କରୁଥିବା କିଛି ଗୋଷ୍ଠୀମାନଙ୍କୁ ସମର୍ଥନ କରେ ପନ୍ନୁ। ତେବେ ଦେଶରେ ବହୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ଯୋଗୁଁ ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ପନ୍ନୁକୁ ଆତଙ୍କବାଦୀ ଘୋଷିତ କରିଥିଲା।