ଅନ୍ତ ହେବ ଭାରତ-ଚୀନ ସୀମା ବିବାଦ

ଭାରତ ଚୀନ ସୀମା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି।

ଏଲ୍ଏସିରେ ପାଟ୍ରୋଲିଂ ପାଇଁ ଦୁଇ ଦେଶର ବୁଝାମଣା

ନୂଆଦିଲ୍ଲୀ, ୨୧/୧୦: ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି। ଏ ନେଇ ପଦକ୍ଷେପ ନେଇଛନ୍ତି ଦୁଇ ଦେଶର ସରକାର। ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି) ନିକଟରେ ପାଟ୍ରୋଲିଂ ଆରମ୍ଭ କରିବା ପାଇଁ ଉଭୟ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହୋଇଛି।

ଗତ କିଛି ସପ୍ତାହ ଧରି ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା କୂଟନୈତିକ ଏବଂ ସାମରିକ ଆଲୋଚନାର ଫଳସ୍ୱରୂପ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ରାଜିନାମା ହୋଇଛି।

ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି। ଏହି ବୁଝାମଣା ଡେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଜଡ଼ିତ ରହିଛି। ଏହି ଚୁକ୍ତି ପରେ ଉଭୟ ଦେଶ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର କରାଯାଇପାରେ। ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତ ପୂର୍ବରୁ ଏହା ଘଟିଛି।

ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍ ୧୫ ତାରିଖରେ ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଭାରତ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନିକଙ୍କୁ ହରାଇଥିଲା ଏବଂ ପିପୁଲ୍ସ ଲିବରେସନ ଆର୍ମିର ୪୦ ଜଣ ସେନା ଯବାନ ସହିଦ ହୋଇଥିବାର ସୂଚନା ମିଳିଥିଲା। ଏହା ପରଠାରୁ ଏଲ୍ଏସି ନିକଟରେ ପରିସ୍ଥିତି ଅତି ଗମ୍ଭୀର ରହିଥିଲା।