ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ

୨ ଯବାନ ଆହତ

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ସୁକମା, ୨୯/୦୩: ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ଏକ ବଡ଼ ମାଓ ବିରୋଧୀ ଅଭିଯାନରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନେ ରାଜ୍ୟ ପୁଲିସର ୟୁନିଟ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି)ର ବୋଲି ଜଣାପଡ଼ିଛି।

ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ କେର୍ଲାପାଳ ଥାନା ଅଧୀନ ଜଙ୍ଗଲରେ ସକାଳ ପ୍ରାୟ ୮ଟା ବେଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ମିଳିତ ଅପରେସନରେ ଡିଆରଜି ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଯବାନମାନେ ସାମିଲ ହୋଇଥିଲେ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଏନକାଉଣ୍ଟରରେ ୧୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ମୃତ ସମସ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଘଟଣାସ୍ଥଳରୁ ଏକେ-୪୭ ରାଇଫଲ, ସେଲ୍ଫ ଲୋଡିଂ ରାଇଫଲ (ଏସଏଲଆର), ଇନସାସ ରାଇଫଲ, ୩୦୩ ରାଇଫଲ, ଏକ ରକେଟ୍ ଲଞ୍ଚର ଓ ବ୍ୟାରେଲ ଗ୍ରେନେଡ ଲଞ୍ଚର (ବିଜିଏଲ) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।