ବିଜାପୁର, ୦୭/୦୬: ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ମାଓନେତା ଭାସ୍କର ନିହତ ହୋଇଛି। ଭାସ୍କର ଉପରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ କହିଛନ୍ତି ଯେ ବୁଧବାରଠାରୁ ରାଜ୍ୟ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ ସିଆରପିଏଫର ସ୍ୱତନ୍ତ୍ର ୟୁନିଟ୍ କୋବ୍ରାର ଯବାନମାନେ ଏହି ସର୍ଚ୍ଚ ଅପରେସନ କରୁଥିଲେ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନକାଉଣ୍ଟର ସ୍ଥଳରୁ ମୃତଦେହ ସମେତ ଗୋଟିଏ ଏକେ-୪୭ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିଲା। ତଦନ୍ତ ପରେ ସେହି ମୃତଦେହ ତେଲେଙ୍ଗାନା ରାଜ୍ୟ କମିଟି (ଟିଏସସି)ର ସ୍ୱତନ୍ତ୍ର ଜୋନାଲ କମିଟି (ଏସଜେଡସି) ସଦସ୍ୟ ଭାସ୍କର ଓରଫ ମାଇଲାରାପୁ ଆଡେଲ୍ଲୁର ବୋଲି ଜଣା ପଡ଼ିଥିଲା। ଭାସ୍କର ନାଁରେ ଛତିଶଗଡ଼ରେ ୨୫ ଲକ୍ଷ ଓ ତେଲେଙ୍ଗାନାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।