ପରଲୋକରେ ଭେଟେରାନ ରାଜନେତା ବିଜୟ ମାଲହୋତ୍ରା
୯୩ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ପରଲୋକ
ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୩୦/୯: ଭେଟେରାନ ବିଜେପି ନେତା ଏବଂ ପୂର୍ବତନ ସାଂସଦ ବିଜୟ କୁମାର ମାଲହୋତ୍ରାଙ୍କର ପରଲୋକ ଘଟିଛି। ମଙ୍ଗଳବାର ସକାଳେ ନୂଆଦିଲ୍ଲୀ ଏମ୍ସରେ ପରଲୋକ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ମାଲହୋତ୍ରାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଜଣେ ତୃଣମୂଳ ସ୍ତରର ନେତା ବୋଲି କହିବା ସହ ସେ ଜୀବନସାରା ଜନସେବା ପ୍ରତି ପ୍ରତିବଦ୍ଧ ଥିଲେ। ଦିଲ୍ଲୀରେ ଦଳକୁ ମଜବୁତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି। ସଂସଦରେ ତାଙ୍କର ସକ୍ରିୟତା ଏବଂ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୪୫ ବର୍ଷର ରାଜନୈତିକ କ୍ୟାରିଅରରେ ପାଞ୍ଚ ଥର ସାଂସଦ ଏବଂ ଦିଲ୍ଲୀରୁ ଦୁଇ ଥର ବିଧାୟକ ରହିଥିଲେ ମାଲହୋତ୍ରା। ସେ ବିଜେପିର ଦିଲ୍ଲୀ ୟୁନିଟର ସଭାପତି ମଧ୍ୟ ଥିଲେ। ତାଙ୍କ ରାଜନୈତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ତାଙ୍କର ୧୯୯୯ ଲୋକସଭା ନିର୍ବାଚନ ବିଜୟ। ୧୯୯୯ ନିର୍ବାଚନରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପରାସ୍ତ କରିଥିଲେ। ୨୦୦୪ ସାଧାରଣ ନିର୍ବାଚନରେ, ସେ ଦିଲ୍ଲୀରେ ସଂସଦୀୟ ଆସନ ଜିତିଥିବା ଏକମାତ୍ର ବିଜେପି ପ୍ରାର୍ଥୀ ଥିଲେ ଏବଂ କଂଗ୍ରେସ ବାକି ଛଅଟି ଆସନରେ ବିଜୟୀ ହୋଇଥିଲା।