କୋମାରେ ମୋଜତାବା ଖାମେନେଇ

ଗୋଡ଼ କଟିଛି, ପେଟରେ ଆଘାତ ଲାଗି ଗୁରୁତର

ତେହେରାନ, ୧୩/୦୩: ଇରାନର ନବନିଯୁକ୍ତ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ କୋମାରେ ଅଛନ୍ତି। ଯେଉଁ ବିମାନ ଆକ୍ରମଣରେ ତାଙ୍କ ପିତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା, ସେହି ଆକ୍ରମଣରେ ସେ ଗୁରୁତର ଆହତ ହେବା ପରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେ ଅତି କମରେ ଗୋଟିଏ ଗୋଡ ହରାଇଛନ୍ତି ବୋଲି, ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟ ଏହି ଦାବିକୁ ସମର୍ଥନ କରି ଏକ ପ୍ରେସ ବ୍ରିଫିଂରେ କହିଛନ୍ତି ଯେ ମୋଜତାବା ବର୍ତ୍ତମାନ କୋମାରେ ଅଛନ୍ତି।

ବ୍ରିଟିଶ ଟାବଲଏଡ୍ ରିପୋର୍ଟ କରିଛି ଯେ ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ୫୬ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ତେହେରାନରେ ଚିକିତ୍ସାଧୀନ ଅଛନ୍ତି। ସେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଯାକ ଗୋଡ ହରାଇଛନ୍ତି ଏବଂ ତାଙ୍କର ପେଟ କିମ୍ବା ଯକୃତ ମଧ୍ୟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଦି ସନ୍ ରିପୋର୍ଟ ଅନୁଯାୟୀ, ମୋଜତାବାଙ୍କୁ ତେହେରାନର ସିନା ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କଡ଼ା ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ସେ ବର୍ତ୍ତମାନ କୋମାରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ୟୁନିଟ୍‌କୁ ସିଲ୍ କରିଦିଆଯାଇଛି। ଡାକ୍ତରମାନଙ୍କୁ ମଧ୍ୟ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ଇରାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଜଣେ ବରିଷ୍ଠ ସର୍ଜନ, ଭେଟେରାନ ଟ୍ରମା ସର୍ଜନ ମହମ୍ମଦ ରେଜା ଜାଫରଗନ୍ଦୀ ଚିକିତ୍ସା ତଦାରଖ କରୁଛନ୍ତି।

ଦି ସନ୍ ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଭାବେ ମୋଜତାବାଙ୍କୁ ଘୋଷିତ କରିବା ପରେ ସେ ଟେଲିଭିଜନରେ ତାଙ୍କ ବକ୍ତବ୍ୟ ରଖିଥିଲେ। କିନ୍ତୁ ସେହିଦିନ ସେ ନିଜେ ସାମନାକୁ ଆସିନଥିଲେ। ବରଂ ନ୍ୟୁଜ୍ ଆଙ୍କର ତାଙ୍କ ବକ୍ତବ୍ୟକୁ ପଢ଼ିଥିଲେ। ତେଣୁ ତାଙ୍କ ଆହତ ହେବା ଖବରକୁ ଯଥା ସମ୍ଭବ ଏଡ଼ାଇ ଦିଆଯାଉଛି।