୧୦୦ ଲୋକଙ୍କ ଜୀବନ ନେଲାଣି ପ୍ରଳୟଙ୍କାରୀ ବନ୍ୟା

ବନ୍ୟା କବଳରେ ଦେଢ ଲକ୍ଷରୁ ଅଧିକ ଲୋକ

ଗୌହାଟୀ, ୧୦/୦୮: ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଏବଂ ଡିଜାଷ୍ଟର ରିପୋର୍ଟିଙ୍ଗ୍ ଆଣ୍ଡ୍ ଇନଫରମେସନ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (DRIMS) ର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ୧୮ ଜଣ ଶିଶୁ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଗୋଲାଘାଟ୍ ଏବଂ କାର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ମୃତ୍ୟୁସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି।

ଶିବସାଗର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠି ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ କାଛାର୍ ଜିଲ୍ଲାରେ ୨୨, କରିମଗଞ୍ଜରେ ୯ ଏବଂ ଗୋଲାଘାଟ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଧେମାଜି, ନଗାଓଁ, ଉଦାଲଗୁରି, ସୋନିତପୁର ଓ କାର୍ବି ଆଙ୍ଗଲଙ୍ଗ୍ ଆଦି ଜିଲ୍ଲାରେ ମଧ୍ୟ ମୃତ୍ୟୁ ଘଟିଛି।

ପ୍ରାରମ୍ଭିକ ସମୟରେ ୧୩ଟି ଜିଲ୍ଲା ଏବଂ ୪୬୪ଟି ଗାଁ ପ୍ରଭାବିତ ହୋଇଥିଲା, ଯେଉଁଠି ଦେଢ଼ ଲକ୍ଷରୁ ଅଧିକ ଲୋକ ବନ୍ୟାର କବଳରେ ଥିଲେ। ବର୍ତ୍ତମାନ ପ୍ରାୟ ୭ଟି ଜିଲ୍ଲାରେ ୧.୩୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ଅଛନ୍ତି। ଗୋଲାଘାଟ୍ ରେ ସବୁଠୁ ଅଧିକ ପ୍ରାୟ ୭୦ ହଜାର, ଏହା ପରେ ଶିବସାଗରରେ ପ୍ରାୟ ୪୦ ହଜାର ଏବଂ ଜୋରହାଟ୍ ରେ ୧୬ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪୫୬ଟି ଗାଁ ଏବଂ ୧୧,୯୩୩ ହେକ୍ଟରରୁ ଅଧିକ ଫସଲ ଜମି ଜଳମଗ୍ନ ହୋଇଛି। ୧୨୫ଟି ରିଲିଫ୍ କ୍ୟାମ୍ପ୍ ରେ ପ୍ରାୟ ୪୯ ହଜାର ଲୋକ ଆଶ୍ରୟ ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟାରେ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ବନ୍ୟା ନାଗାଲ୍ୟାଣ୍ଡର ମୋନ୍ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଉପନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିଲା। ଯାହା ପ୍ରଭାବରେ ଶିବସାଗର ଓ ଚାରାଇଦେଓ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଧାନସିରି ଓ କୁଶିୟାରା ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି।