ଉଡ଼ାଣ ପରେ ଆକାଶରେ ବିସ୍ଫୋରଣ ହେଲା ‘ଲଙ୍ଗ୍ ମାର୍ଚ୍ଚ ୭ଏ’ ରକେଟ୍

ମହାକାଶ ଅଭିଯାନକୁ ଲାଗିଛି ଏକ ବିରାଟ ଝଟ୍‌କା

ବେଜିଂ, ୧୧/୦୮: ଚୀନର ମହାକାଶ ଅଭିଯାନକୁ ଏକ ବଡ଼ ଝଟକା ଲାଗିଛି। ଅଗଷ୍ଟ ୧୦ ତାରିଖ ସନ୍ଧ୍ୟାରେ ହାଇନାନ ଦ୍ୱୀପର ଓୱେଞ୍ଚାଙ୍ଗ ମହାକାଶ ଉତକ୍ଷେପଣ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିବା ‘ଲଙ୍ଗ୍ ମାର୍ଚ୍ଚ ୭ଏ’ (Long March 7A ବା CZ-7A) ରକେଟ୍ ଉଡ଼ାଣର ମାତ୍ର ପ୍ରାୟ ୮୫ ସେକେଣ୍ଡ୍ ପରେ ଆକାଶରେ ବିସ୍ଫୋରଣ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାରେ ରକେଟ୍ ସହିତ ଏହା ବହନ କରିଥିବା ଚାଇନାସାଟ୍-୪ବି (ChinaSat-4B ବା Zhongxing-4B) ଯୋଗାଯୋଗ ଉପଗ୍ରହ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି।

ସୂଚନାଯୋଗ୍ୟ, ବେଜିଂ ସମୟ ଅନୁସାରେ ସନ୍ଧ୍ୟା ୮:୦୨ ମିନିଟରେ ରକେଟ୍ ଉତକ୍ଷେପଣ ହୋଇଥିଲା। ପ୍ରାରମ୍ଭିକ ଭାବେ ଉଡ଼ାଣ ସ୍ୱାଭାବିକ ଦେଖାଯାଉଥିଲା। ତେବେ ପ୍ରାୟ ୮୫ ସେକେଣ୍ଡ ପରେ, ଯେତେବେଳେ ରକେଟ ପ୍ରଥମ ଷ୍ଟେଜ୍ ଓ ଚାରୋଟି ସାଇଡ୍ ବୁଷ୍ଟର୍‌ର ଏକାଠି ଜ୍ୱଳନ ପର୍ଯ୍ୟାୟରେ ଥିଲା, ସେତେବେଳେ ଏକ ବିରାଟ ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ରେକର୍ଡ଼ କରାଯାଇଥିବା ଭିଡିଓରେ ଦେଖାଯାଇଛି ଯେ ଆକାଶରେ ଏକ ବଡ଼ ଅଗ୍ନିଗୋଳା ସୃଷ୍ଟି ହୋଇଥିଲା ଏବଂ ଘନ କଳା ଧୂଆଁ ବାହାରି ତାହା ଧ୍ୱଂସ ହୋଇଯାଇଥିଲା। ରକେଟ୍ ଓ ଉପଗ୍ରହ ଉଭୟ ଦକ୍ଷିଣ ଚୀନ ସାଗରରେ ଖସି ପଡ଼ିଛି। କୌଣସି ଅଂଶ କକ୍ଷପଥରେ ପହଞ୍ଚି ପାରିନାହିଁ।

ରକେଟ୍ ପ୍ରାୟ ୬୦ ମିଟର ବା ୧୯୭ ଫୁଟ ଉଚ୍ଚରେ ଥିଲା ଏବଂ ଏହା ମଧ୍ୟମରୁ ଭାରୀ ପେଲୋଡ୍ ବହନ କରିବାର କ୍ଷମତା ରଖେ। ଏହି ମିଶନର ଲକ୍ଷ୍ୟ ଥିଲା ଚାଇନାସାଟ୍-୪ବି ଉପଗ୍ରହକୁ ଉଚ୍ଚ କକ୍ଷପଥରେ ରଖିବା। ଏହି ଉପଗ୍ରହ ଯୋଗାଯୋଗ ସେବା ପାଇଁ ବ୍ୟବହୃତ ହେବାକୁ ଥିଲା ଏବଂ କିଛି ରିପୋର୍ଟ ଅନୁସାରେ ଏହା ସାମରିକ ଯୋଗାଯୋଗ ପାଇଁ ହୋଇଥାଇ ପାରେ।

ଚୀନର ଗଣମାଧ୍ୟମ ଜିନ୍‌ହୁଆ ଉତକ୍ଷେପଣର କିଛି ଘଣ୍ଟା ପରେ ବିସ୍ଫୋରଣ ଘଟଣାକୁ ନିଶ୍ଚିତ କରିଛି। ତେବେ ଏ ନେଇ ତଦନ୍ତ ଚାଲିଛି। ଚୀନ ଏରୋସ୍ପେସ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି କର୍ପୋରେସନ୍ (CASC) ମଧ୍ୟ ଏହାକୁ ସ୍ୱୀକାର କରିଛି।

ବିଶେଷଜ୍ଞମାନେ କହୁଛନ୍ତି ଯେ ବିସ୍ଫୋରଣ ସମୟରେ ରକେଟ୍ Max-Q (ସର୍ବାଧିକ ଗତିଶୀଳ ଚାପ) ପର୍ଯ୍ୟାୟରେ ଥିଲା। ଅନ୍ୟ କିଛି ଆକଳନ ଅନୁସାରେ ଏହା ଫ୍ଲାଇଟ୍ ଟର୍ମିନେସନ୍ ସିଷ୍ଟମ୍ ସକ୍ରିୟ ହେବା ଯୋଗୁଁ ହୋଇଥାଇ ପାରେ କିମ୍ବା ପ୍ରଥମ ଷ୍ଟେଜ୍‌ର YF-100 ଇଞ୍ଜିନ୍‌ରେ ସମସ୍ୟା ହୋଇଥାଇ ପାରେ।

ସୂଚନା ଅନୁଯାୟୀ, ଲଙ୍ଗ୍ ମାର୍ଚ୍ଚ ୭ଏ ରକେଟ୍ ୨୦୨୦ ମାର୍ଚ୍ଚରେ ପ୍ରଥମ ଥର ଉତକ୍ଷେପଣ ହୋଇଥିଲା, କିନ୍ତୁ ସେତେବେଳେ ମଧ୍ୟ ବିଫଳ ହୋଇଥିଲା। ତେବେ ବର୍ତ୍ତମାନର ବିଫଳତା ଚୀନର ମହାକାଶ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଇପାରେ। ବିଶେଷକରି YF-100 ଇଞ୍ଜିନ୍, ଯାହା ଅନେକ ଆଧୁନିକ ଚୀନ ରକେଟ୍‌ରେ ବ୍ୟବହୃତ ହୁଏ, ତା’ ଉପରେ ତଦନ୍ତ ଚାଲିବ। ଏହା ଭବିଷ୍ୟତର ମିଶନ୍, ଯେପରିକି ଚାଙ୍ଗ’ଇ-୭ (Chang’e-7) ଚନ୍ଦ୍ର ମିଶନକୁ ବିଳମ୍ବ କରାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।