ଓଡ଼ିଶା ଡିଜିପି ନିଯୁକ୍ତି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା
ଡିଜିପି ନିଯୁକ୍ତି ପାଇଁ ନିୟମକୁ ସରକାର ଅଣଦେଖା କରିଥିବା ଅଭିଯୋଗ
UPSC କୋର୍ଟଙ୍କ ନିର୍ଦ୍ଦେଶ ନେଇ ଅବଗତ ଅଛନ୍ତି: ସିଜେଆଇ
ଭୁବନେଶ୍ୱର, ୧୧/୦୮: ଓଡ଼ିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲା (PIL) ଉପରେ ଜରୁରୀ ଶୁଣାଣି ପାଇଁ ରାଜି ହୋଇଛି। ଏହି ମାମଲାରେ ଅଭିଯୋଗ କରାଯାଇଛି ଯେ ଓଡ଼ିଶା ସରକାର ରାଜ୍ୟର ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ୨୦୦୬ ପ୍ରକାଶ ସିଂହ ରାୟର ନିର୍ଦ୍ଦେଶ ଉଲ୍ଲଙ୍ଘନ କରୁଛନ୍ତି।
୧୯୯୦ ବ୍ୟାଚର ଆଇପିଏସ ଅଫିସର ତଥା ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ନୂଆ ଡିଜିପି ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଓଡ଼ିଶା ସରକାର ପ୍ରଥମେ ୩ ଜଣ ଓ ପରେ ୧୧ ଜଣ ବରିଷ୍ଠ IPS ଅଧିକାରୀଙ୍କ ପ୍ୟାନେଲ୍ (୩ ଜଣ ଡିଜିପି ରାଙ୍କ + ୮ ଜଣ ଏବିଭିପି ରାଙ୍କ) ୟୁପିଏସସିକୁ ପଠାଇଥିଲେ। ଅଗଷ୍ଟ ୭ ତାରିଖରେ ୟୁପିଏସସି କେବଳ ଡିଜିପି ସ୍ତରର ଅଧିକାରୀଙ୍କୁ ବିଚାର କରିବ ବୋଲି କହିଥିଲା। ଏହାପରେ ରାଜ୍ୟ ସରକାର ସେହି ତାଲିକା ପ୍ରତ୍ୟାହାର କରି ନୂଆ ତାଲିକା ତିଆରି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏକ ADGPଙ୍କୁ ଡିଜିପି ପଦକୁ ପଦୋନ୍ନତି ଦେଇ ତାଙ୍କୁ ନୂଆ ପ୍ୟାନେଲରେ ସାମିଲ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। ଯାହା ପ୍ରକାଶ ସିଂହ ନିର୍ଦ୍ଦେଶର ଉଲ୍ଲଙ୍ଘନ ବୋଲି ଦାବି କରାଯାଇଛି।
୨୦୦୬ ପ୍ରକାଶ ସିଂହ ରାୟ ଓ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର UPSC ଦ୍ୱାରା ତାଲିକାଭୁକ୍ତ ତିନିଜଣ ସର୍ବୋଚ୍ଚ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଡିଜିପି ବାଛିବେ। ଏହି ଅଧିକାରୀମାନେ ସେବା କାଳ, ଉତ୍ତମ ରେକର୍ଡ ଓ ପୋଲିସ୍ ବାହିନୀ ନେତୃତ୍ୱ ଅନୁଭବ ଉପରେ ଆଧାରିତ ହେବେ। ସାଧାରଣତଃ ଲେଭଲ ୧୬ ଡିଜିପି ରାଙ୍କ ଅଧିକାରୀଙ୍କୁ ବିଚାର କରାଯିବ। ନିଯୁକ୍ତ ଡିଜିପିଙ୍କୁ ଅତି କମରେ ୨ ବର୍ଷର ନିୟମିତ କାର୍ଯ୍ୟକାଳ ମିଳିବ।
କିନ୍ତୁ ରାଜ୍ୟ ସରକାର ଏହି ନିର୍ଦ୍ଦେଶର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଜରୁରୀ ଶୁଣାଣି ଦାବି କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ୟୁପିଏସସି ଯୋଗ୍ୟତା ମାନଦଣ୍ଡ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିଷୟରେ ଅବଗତ ଅଛନ୍ତି। ଯଦି ଅଯୋଗ୍ୟ ଅଧିକାରୀଙ୍କ ପ୍ୟାନେଲ୍ ପଠାଯାଏ, ୟୁପିଏସସି ପୂର୍ବ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ। ସେହି ଅନୁଯାୟୀ ଡିଜିପି ଚୟନ କରାଯିବ ବୋଲି ଆଶା ରଖୁଛି।