ଏୟାର ମାର୍ଶାଲ ଅମର ପ୍ରୀତ ସିଂହଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ ସରକାର

ଅମର ପ୍ରୀତ ସିଂହଙ୍କୁ ୨୦୧୯ରେ 'ଅତି ବିଶିଷ୍ଟ ସେବା' ପଦକ ଏବଂ ୨୦୨୩ରେ 'ପରମ ବିଶିଷ୍ଟ ସେବା' ପଦକ ପ୍ରଦାନ କରାଯାଇଥିଲା।

ସେପ୍ଟେମ୍ବର ୩୦ରେ ଦାୟିତ୍ୱ ଗ୍ରହଣ କରିବେ

ନୂଆଦିଲ୍ଲୀ, ୨୧/୦୯: ବର୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଏୟାର ମାର୍ଶାଲ ଅମର ପ୍ରୀତ ସିଂହଙ୍କୁ ସରକାର ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବର ୩୦ ତାରିଖରୁ ଅମର ପ୍ରୀତ ସିଂହ ଏୟାର ଚିଫ୍ ମାର୍ଶାଲ ପାହ୍ୟା ଗ୍ରହଣ କରିବେ। ବର୍ତ୍ତମାନ ଏୟାର ଚିଫ୍ ମାର୍ଶାଲ ଥିବା ବିବେକ ରାମ ଚୌଧୁରୀ ସେହି ଦିନ ଅବସର ନେବେ। ସେହି ଦିନ ହିଁ ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିବେ ଅମର ପ୍ରୀତ ସିଂହ। ଗତ ୨୦୨୩ ଫେବ୍ରୁଆରୀ ପହିଲାରେ ଭାରତୀୟ ବାୟୁସେନାର ୪୭ତମ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏୟାର ମାର୍ଶାଲ ଅମର ପ୍ରୀତ ସିଂହ।

ଭାରତୀୟ ବାୟୁସେନାରେ ତାଙ୍କର ଯାତ୍ରା ୧୯୮୪ ମସିହାରୁ ଆରମ୍ଭ ହୋଇଥିଲା। ୧୯୮୪ ମସିହା ଡିସେମ୍ବର ୨୧ ତାରିଖରେ ସେ ଭାରତୀୟ ବାୟୁସେନାର ଯୁଦ୍ଧ ଜାହାଜରେ ଯୋଗ ଦେଇଥିଲେ। ସମ୍ମାନଜନକ ସେଣ୍ଟ୍ରାଲ ଏୟାର କମାଣ୍ଡ (ସିଏସି)ର କମାଣ୍ଡ ନେବା ପୂର୍ବରୁ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ସିନିୟର ଏୟାର ଷ୍ଟାଫ୍ ଅଫିସର ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ‘ଅତି ବିଶିଷ୍ଟ ସେବା’ ପଦକ ଏବଂ ୨୦୨୩ରେ ‘ପରମ ବିଶିଷ୍ଟ ସେବା’ ପଦକ ପ୍ରଦାନ କରାଯାଇଥିଲା।