ଦେଶର ୧୭ତମ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ

୫ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଜି ଶପଥ ନେବେ

ନୂଆଦିଲ୍ଲୀ, ୨୧/୦୯: ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ ମାର୍ଲେନା ସିଂହ। ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀ ଆଜି ଅପରାହ୍ନ ୪ଟା ୩୦ରେ ରାଜନିବାସରେ ତାଙ୍କ ମନ୍ତ୍ରିମଣ୍ଡଳ ସହ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦେବା ପୂର୍ବରୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କୁ ମନୋନୀତ କରିଥିଲା ଆପ୍। ଆତିଶୀଙ୍କ ସହ ତାଙ୍କ କ୍ୟାବିନେଟର ସାମିଲ ହେବାକୁ ଥିବା ୫ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଆପ୍ ଘୋଷଣା କରିଥିବା ନୂଆ ମନ୍ତ୍ରିମଣ୍ଡଳରେ ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ନୂତନ ଭାବେ ଯୋଗ ଦେଇଥିବା ମୁକେଶ ଅହଲାୱତ ରହିଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରିରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଆତିଶୀ ନିର୍ବାଚନ ପର୍ଯ୍ୟନ୍ତ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ଶପଥ ନେବା ପରେ ସେ ଦେଶର ୧୭ତମ ମହିଳା ମୁଖ୍ୟମନ୍ତ୍ରୀ ହେବେ।