ନୂଆଦିଲ୍ଲୀ, ୧୫/୦୭: ମହାକାଶରେ ୧୮ ଦିନର ରହଣି ପରେ ଭାରତୀୟ ମହାକାଶଚାରୀ ତଥା ଆକ୍ସିଅମ ୪ ମିଶନର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ମହାକାଶଚାରୀ ପେଗୀ ହ୍ବିଟ୍ସନ୍, ସ୍ଲାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ଟିବୋର କାପୁ ପୃଥିବୀକୁ ଓହ୍ଲାଇଛନ୍ତି। ତାଙ୍କ ମହାକାଶଯାନ ସ୍ପେସ୍ ଏକ୍ସର ଡ୍ରାଗନ କାର୍ଲିଫର୍ଣ୍ଣିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।
ସୋମବାର ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟାରେ ଡ୍ରାଗନ ମହାକାଶଯାନ ଯୋଗେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଛାଡ଼ିଥିଲେ ମହାକାଶଚାରୀ। ୨୨ ଘଣ୍ଚାର ଯାତ୍ରା ପରେ ୪ ମହାକାଶଚାରୀ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ନ ୩ଟାରେ କାର୍ଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିଛନ୍ତି।
ଅଧିକ ପଢନ୍ତୁ: ଇତିହାସ ଲେଖିଲା ଭାରତ: ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଶୁଭାଂଶୁ
ସୂଚନାଯୋଗ୍ୟ, Axiom 4 ମିଶନ୍ ଜୁନ୍ ୨୫ ତାରିଖ ଭାରତୀୟ ସମୟ ମଧ୍ୟାହ୍ନ ୧୨.୦୧ରେ ଉତକ୍ଷେପଣ ହୋଇଥିଲା। ଆମେରିକାର ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ଉତକ୍ଷେପଣ ହୋଇଥିଲା। SpaceXର ଫାଲକନ୍ 9 ରକେଟରେ ଯାଇଥିଲେ ମହାକାଶର ୪ ମହାକାଶଚାରୀ। ଏହା ପରେ ଜୁନ ୨୬ ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ଡକିଂ ହୋଇଥିଲା।
ଆମେରିକୀୟ ମହାକାଶ ସଂସ୍ଥା (ନାସା), ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବଂ ସ୍ପେସ ଏକ୍ସର ମିଳିତ ମିଶନ ଆକ୍ସିଅମ-୪ ରେ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିଲେ ଶୁଭାଂଶୁ ଏବଂ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ମହାକାଶଚାରୀ ଭାବେ ମହାକାଶକୁ ଯାତ୍ରା କରିଥିଲେ। ୪୧ ବର୍ଷ ପରେ ମହାକାଶରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଶୁଭାଂଶୁ।
ଏହି ମିଶନରେ ପୂର୍ବତନ ନାସା ମହାକାଶଚାରୀ ଏବଂ ଆକ୍ସିଅମ୍ ସ୍ପେସ୍ରେ ମାନବ ମହାକାଶ ଉଡ଼ାଣ ନିର୍ଦ୍ଦେଶକ ପେଗି ହ୍ୱିଟସନ୍, ୟୁରୋପୀୟ ମହାକାଶ ଏଜେନ୍ସି ପ୍ରୋଜେକ୍ଟ ମହାକାଶଚାରୀ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ହଙ୍ଗେରୀୟ ମହାକାଶଚାରୀ ଟିବୋର୍ କାପୁ ଆଇଏସଏସକୁ ଯାତ୍ରା କରିଥିଲେ।
ତେବେ କହି ରଖୁଛୁ କି, ଭାରତ ସରକାର ଆକ୍ସିଅମ-୪ ମିଶନ ପାଇଁ ୫୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ NASA ଏବଂ Axiom ସହିତ ମହାକାଶଚାରୀ ତାଲିମ, ଲଞ୍ଚ ଲଜିଷ୍ଟିକ୍ସ ଏବଂ ISS କୁ ଯାତ୍ରା, ମିଶନ ସମୟରେ ରହଣି, ଏବଂ କକ୍ଷପଥରେ ଗବେଷଣା ଏବଂ ବୈଜ୍ଞାନିକ ପରୀକ୍ଷଣ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଶୁଭାଂଶୁଙ୍କୁ ଏହି ମିଶନ ପାଇଁ କୌଣସି ଦରମା ମିଳିବ ନାହିଁ।
ଅଧିକ ପଢନ୍ତୁ: ଜାଣନ୍ତୁ ଶୁଭାଂଶୁ ଶୁକ୍ଳାଙ୍କ ବିଷୟରେ କିଛି ଅଜଣା ତଥ୍ୟ