ଏଲ୍ ଅଲ୍ଟୋ, ୨୮/୦୨: ଶୁକ୍ରବାର ସନ୍ଧ୍ୟାରେ ବୋଲିଭିଆ ରାଜଧାନୀ ଲା ପାଜ୍ ନିକଟସ୍ଥ ଏଲ୍ ଅଲ୍ଟୋ ସହରରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଟଙ୍କା ଭର୍ତ୍ତି ଏକ ବିମାନ ରନୱେରୁ ହାଇୱେକୁ ଖସି ପଡ଼ିଥିଲା। ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଏହା ବୋଲିଭିଆନ୍ ବାୟୁସେନାର ଏକ ହର୍କୁଲିସ୍ ବିମାନ ଥିଲା।
ଦେଶର ଅନ୍ୟ ସ୍ଥାନକୁ ବ୍ୟାଙ୍କର ନୂଆ ଟଙ୍କା ନେଇ ଯାଉଥିଲା। କିନ୍ତୁ ମଝି ଆକାଶରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ମୃତକ ଓ ଆହତ ସେହି ବିମାନରେ ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ଦୁର୍ଘଟଣା ପରେ ମାଟିରେ ବିଛାଡ଼ି ପଡ଼ିଥିବା ଟଙ୍କାକୁ ଲୋକମାନେ ନେଇଯାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦୁର୍ଘଟଣା ପରେ ଏଲ୍ ଆଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି, ଜାତୀୟ ବିମାନ କମ୍ପାନୀ ବୋଲିଭିଆନା ଡି ଆଭିଏସିୟନ୍ ଏକ ବିବୃତ୍ତିରେ କହିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନ ଏହାର ବିମାନବାହନର ଅଂଶ ନଥିଲା।
ସୂଚନା ଅନୁଯାୟୀ କାର୍ଗୋ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଗଲା। ତଥାପି, ଅଗ୍ନିଶମ କର୍ମଚାରୀମାନେ ବିମାନଟିରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।