ଇରାନ ଉପରେ ବଡ଼ ହମଲା, ଘନଘନ ମିସାଇଲ ମାଡ଼

ଦେଶ ଛାଡି ପଳାଇଲେ ଖାମେନେଇ

ତେଲ ଅଭିଭ, ୨୮/୦୨: ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛନ୍ତି। ଏହି ଆକ୍ରମଣରେ ଆମେରିକାର F-22 ରାପ୍ଟର ଯୁଦ୍ଧ ବିମାନ ମଧ୍ୟ ସାମିଲ ଥିଲା। ତେହେରାନର ୩୦ଟି ସ୍ଥାନରେ ଏକକାଳୀନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହା ପରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଇସ୍ରାଏଲର ବିଭିନ୍ନ ସ୍ଥାନରେ ସାଇରନ୍ ବାଜିଛି। ଇରାନରୁ ଇସ୍ରାଏଲ ଆଡକୁ କୌଣସି କ୍ଷେପଣାସ୍ତ୍ର ନିକ୍ଷେପ ହେବାର ବର୍ତ୍ତମାନ କୌଣସି ରିପୋର୍ଟ ନାହିଁ। ତେଲ ଅଭିଭ ଏବଂ ବେନ୍ ଗୁରିଅନ୍ ବିମାନବନ୍ଦରରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।

ସୁରକ୍ଷିତ ସ୍ଥାନ ନିକଟରେ ରହିବାକୁ ସତର୍କ କରିବା ପାଇଁ ସାରା ଦେଶରେ ସାଇରନ ବଜାଇ ଦିଆଯାଇଛି। ଟେଲିଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ସେନା କହିଛି ଯେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ସତର୍କ କରାଯାଉଛି। ଏକ ପୃଥକ ବିବୃତ୍ତିରେ କୁହାଯାଇଛି ଯେ ସାରା ଦେଶରେ ସାଧାରଣ କାର୍ଯ୍ୟ ସ୍ଥଗିତ ରହିବ। ସ୍କୁଲ ବନ୍ଦ ରହିବ, ସମାବେଶ ନିଷେଧ ରହିବ ଏବଂ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ।

ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖାମେନେଇ ଦେଶ ଛାଡି ପଳାଇଛନ୍ତି। ତାଙ୍କ ଅଫିସ ନିକଟରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଖାମେନେଇଙ୍କୁ ଟାର୍ଗେଟ କରି ରକେଟ୍ ମାଡ଼ ହୋଇଥିବାର ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିଜ ବାୟୁସୀମା ବନ୍ଦ ରଖିଛି।