ହର୍ମୁଜ ପ୍ରଣାଳୀ ବନ୍ଦ

କୌଣସି ତୈଳ ଜାହାଜ ଗଲେ ନିଆଁ ଲଗାଇ ଦେବାକୁ ଚେତାବନୀ

ତେହେରାନ, ୦୩/୦୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନର ରିଭଲ୍ୟୁସନରୀ ଗାର୍ଡ ଏକ ବଡ଼ ଘୋଷଣା କରିଛି। ହର୍ମୁଜ୍ ପ୍ରଣାଳୀ ବା ଷ୍ଟ୍ରେଟ ଅଫ ହର୍ମୁଜକୁ ଜାହାଜ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ଷ୍ଟ୍ରେଟ୍ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ନିଆଁ ଲଗାଇ ଦିଆଯିବ। ଇରାନ ଏବଂ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହା ଏକ ବଡ଼ ପଦକ୍ଷେପ, ଯାହା ବିଶ୍ୱ ତୈଳ ବାଣିଜ୍ୟକୁ ବାଧା ଦେଇପାରେ।

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଜଣେ ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, “ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ଯଦି କେହି ସେହି ସ୍ଥାନ ଦେଇ ଯିବାକୁ ସାହସ କରେ, ତେବେ ରିଭୋଲ୍ୟୁସନାରୀ ଗାର୍ଡ ଏବଂ ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ। ଗୋଟିଏ ବୁନ୍ଦା ତେଲ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ତେବେ ଇରାନର ଏହି ନିଷ୍ପତ୍ତି ଫଳରେ ୮୦ ପ୍ରତିଶତ ଜାହାଜ ଚଳାଚଳ ବନ୍ଦ ରହିଛି। କିଛି ବଡ଼ ବଡ଼ ଜାହାଜ କମ୍ପାନୀ ଆଫ୍ରିକା ଦେଇ ଅଧିକ ଦୂରତା ବିଶିଷ୍ଟ ସମୁଦ୍ର ପଥରେ ତୈଳ କାରବାର କରୁଛନ୍ତି। ଯାହା ଅଧିକ କ୍ଷତି ସହିବାକୁ ପଡ଼ୁଛି।

ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁର କିଛି ଦିନ ପରେ ଏହି ଚେତାବନୀ ଦିଆଯାଇଛି। ସେବେଠାରୁ ମଧ୍ୟପ୍ରାଚ୍ୟର ପରିସ୍ଥିତି ବହୁତ ଖରାପ ହୋଇଛି।