ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ବିପର୍ଯ୍ୟୟ' ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ରାତିରେ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ବାଂଲାଦେଶ ଦ୍ୱାରା ‘ବିପର୍ଯ୍ୟୟ’ ନାମକ ସାମୁଦ୍ରିକ ଝଡ଼ ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ଜୁନ୍ ୦୭ ତାରିଖରେ ଗୋଆର ପ୍ରାୟ ୯୦୦ କିଲୋମିଟର ଦୂର ଲାଟ୍ ୧୨.୫ପ୍ସ ଉତ୍ତର ଓ ଲୋନ୍ ୬୬.୦ପ୍ସ ପୂର୍ବ ରେ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ସୃଷ୍ଟି ହେବ। ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଉତ୍ତର ଦିଗକୁ ଗତି କରି ଏସ୍ ସିଏସ୍ ରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ଏବେ ବାତ୍ୟା ଗୋଆ ଉପକୂଳଠାରୁ ୬୦୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ, ମୁମ୍ବାଇ ଉପକୂଳଠାରୁ ୧୦୨୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛି। ତେବେ ଏହା କେଉଁଠି ଉପକୂଳ ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ଜୁନ୍ ୬ରୁ ୧୦ ତାରିଖ ପର‌୍ୟ୍ୟନ୍ତ କେରଳ-କର୍ଣ୍ଣାଟକ ଉପକୂଳ ଓ ଲାକ୍ଷାଦ୍ୱୀପ-ମାଳଦ୍ୱୀପ ଏବଂ କୋଙ୍କଣ-ଗୋଆ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ସ୍ଥିତି ଅଧିକ ରହିବ।ଫଳରେ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଆରବ ସାଗରରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବ। ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୧୦୫ରୁ ୧୨୫ କିଲୋମିଟର ଛୁଇଁବ। ପବନର ସର୍ବାଧିକ ବେଗ ୧୪୫ରୁ ୧୫୫ ରହିଥିବା ବେଳେ ବାତ୍ୟା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ଏହା ୧୭୦ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଜିଠାରୁ ଜୁନ୍ ୧୧ ତାରିଖ ପର‌୍ୟ୍ୟନ୍ତ ଆରବ ସାଗରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି।